ପବିତ୍ର ଅକ୍ଷୟ ତୃତୀୟା ପର୍ବର ମହାତ୍ମ୍ୟ
ପବିତ୍ର ଅକ୍ଷୟ ତୃତୀୟା ପର୍ବର ମହାତ୍ମ୍ୟ ।
ସଲିଡ଼ ଖବର :- ଧର୍ମ ଓ ସଂସ୍କୃତି ଦୃଷ୍ଟିରୁ ଉତ୍କଳର ସ୍ଵତନ୍ତ୍ର ବିଶେଷ ଲକ୍ଷଣୀୟ ।ଉତ୍କଳୀୟ ସଂସ୍କୃତି ଆର୍ଯ୍ୟ ସଂସ୍କୃତିର ଅଂଶବିଶେଷ ହେଲେହେଁ ତାର ଏକ ନିଜସ୍ଵ ବୈଶିଷ୍ଟ୍ୟ ରହିଛି । ଏଥିରେ ଆର୍ଯ୍ୟ ଓ ଅନାର୍ଯ୍ୟ ସଂସ୍କୃତିର ବିଭିନ୍ନ ବିଭବ ମିଳିତ ହୋଇ ଏକ ନବୀନ ରୁପ ପରିଗ୍ରହଣ କରିବା ସହ ଜଗନ୍ନାଥ ସଂସ୍କୃତି ସହ ଏକାକାର ହୋଇଯାଇଛି ।ଉଦାରତା ,ବିଶ୍ଵାସ ଓ ସ୍ନେହ ମମତାର ବନ୍ଧନ ମଧ୍ୟରେ ଏ ସଂସ୍କୃତିର ମହାନୀୟତା ପ୍ରକାଶ ପାଇଛି ।ସତରେ କେତେ ଅନନ୍ୟ ଏ ପବିତ୍ର ଉତ୍କଳ ଭୂମି ।ସମତଳ ,ଉପକୂଳ ଓ ପର୍ବତ୍ୟାଞ୍ଚଳକୁ ନେଇ ଆର୍ଯ୍ୟ ,ଦ୍ରାବିଡ ଓ ଆରଣ୍ୟକ ସଂସ୍କୃତିର ସମନ୍ଵୟ ଭିତରେ ବିଶ୍ଵ ବକ୍ଷରେ ଆଙ୍କିପାରିଛି ଆପଣାର ସ୍ଵତନ୍ତ୍ର ପରିଚୟ ।ଏଠାରେ ରାଷ୍ଟ୍ରଦେବତା ଭାବରେ ପୂଜିତ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବଧର୍ମର ସମନ୍ଵୟ ।ଏହି ଉଦାରତା ପାଇଁ ଯୁଗେଯୁଗେ ଉତ୍କଳକୁ ପବିତ୍ର ଦେଶ ନାମରେ ଅଭିହିତ କରାଯାଇଛି ଯାହା ବିଶ୍ଵ ଜନମାନସକୁ ଉଦବୁଦ୍ଧ କରିଆସିଛି ।ବସ୍ତୁତଃ କହିବାକୁ ଗଲେ ଉତ୍କଳୀୟ ସଂସ୍କୃତିର ପ୍ରତ୍ୟୋକଟି ବିଭବ ଅର୍ଥାତ୍ ନୃତ୍ୟ ,ସଂଙ୍ଗୀତ,କଳା ,ଭାଷ୍କର୍ଯ୍ୟ ,ଯାନିଯାତ୍ରା ,ପର୍ବପର୍ବାଣି ,ମେଳାମହୋତ୍ସବ ଆଦି ବିଶ୍ଵବାସୀଙ୍କୁ ଆକର୍ଷିତ କରିସାରିଛି ।ଏହି ପରିପେକ୍ଷୀରେ କହିବାକୁ ଗଲେ ସଂସ୍କୃତିର ନିୟାମକ ହେଉଛି ଧର୍ମ ।ଏହି ଧର୍ମ ଓ ସଂସ୍କୃତିକୁ ଉଜ୍ଜୀବିତ ରଖିବାର ପ୍ରବାହର ନାମ ପରମ୍ପରା ।ଏହି ପରମ୍ପରାର ବିକଶିତ ଧାରାରେ ଯେଉଁ ପର୍ବ ମାନବର ଚିନ୍ତା ଓ ଚେତନାରେ ଚିରସ୍ଥାୟୀ ଆନନ୍ଦ ଓ ଅମୃତର ରସ ସୃଷ୍ଟି କରିପାରିଛି ସେହି ପର୍ବର ନାମ ଅକ୍ଷୟ ତୃତୀୟା ପର୍ବ ।ଯାହା ସମସ୍ତ ପ୍ରକାର କାର୍ଯ୍ୟ ଅନୁକୂଳର ପର୍ବ ଭାବେ ଖ୍ୟାତିଲାଭ କରିଅଛି ।ଅକ୍ଷୟ ଶବ୍ଦର ଅର୍ଥ ଯାହାର କ୍ଷୟ ନାହିଁ ଅର୍ଥାତ୍ ଯାହା ଚିରସ୍ଥାୟୀ ।ଏହି ତିଥିର କ୍ଷୟ ନାହିଁ ।ଏହା ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟାରେ ପଡିଥାଏ ।ଏହି ପବିତ୍ର ତିଥି ସୃଷ୍ଟି ଆରମ୍ଭରୁ ଜନମାନସରେ ପାରମ୍ପରିକ ସ୍ଵୀକୃତି ଲାଭ କରିପାରିଛି ।କାରଣ ଶାସ୍ତ୍ର ମତାନୁସାରେ ସୃଷ୍ଟି ଚକ୍ରର ଚାରିଟି ଯୁଗ ମଧ୍ୟରେ ସତ୍ୟ ଯୁଗର ଆରମ୍ଭ ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ତିଥିରେ ହୋଇଥିଲା ।ଏହି ଅକ୍ଷୟ ତୃତୀୟାରେ ହିଁ ସୃଷ୍ଟିର ଆଦ୍ୟ ଦିବସ ।ତେଣୁ ସକଳେ ଏହି ପବିତ୍ର ତିଥିରେ ସମସ୍ତ ପ୍ରକାର ଶୁଭ କାର୍ଯ୍ୟର ଅନୁକୂଳ କରିଥାନ୍ତି ।ଗୃହ ନିର୍ମାଣ ଠାରୁ ଆରମ୍ଭ କରି ଦେବାଳୟ ନିର୍ମାଣ ,କୂପ ଓ ପୁଷ୍କରିଣୀ ଆଦି ଖନନ ସହ ସମସ୍ତ ପ୍ରକାର ଦେବତା ଗଠନ ,ଯାନକ୍ରୟ ,ଦୀକ୍ଷାଗ୍ରହଣ ,ହଳପ୍ରବାହ -ବୀଜପବନ ,ବ୍ୟବସାୟ ଆଦି ଶୁଭକର୍ମ ଏହି ତିଥିରେ ହିଁ ଆରମ୍ଭ କରାଯାଇଥାଏ ।ବିଶ୍ଵାସ କରାଯାଏ-ଏହି ତିଥି ନିମିତ୍ତ କୌଣସୀ ଶାସ୍ତ୍ରୀୟ ମତର ଆବଶ୍ୟକତା ନାହିଁ ।ଯେକୌଣସୀ ଶୁଭକାର୍ଯ୍ୟ ଏହି ତିଥିରେ କରାଯାଇ ପାରିବ ।ତେଣୁ ଅକ୍ଷୟ ତୃତୀୟା ହେଉଛି ଅନୁକୂଳର ପର୍ବ ।ବିଶେଷ କରି ଏହି ପର୍ବକୁ କୃଷି ଓ କୃଷକର ପର୍ବବୋଲି ମଧ୍ୟ କୁହାଯାଏ ।କାରଣ ଏହି ପବିତ୍ର ତିଥିରେ କୃଷକ ଧାନ ବୁଣିବା ଅନୁକୂଳ କରିଥାଏ ।ଏହି ଦିନ ବ୍ରହ୍ମମୁହୁର୍ତ୍ତରୁ ଧାନକୋଠି ପୂଜାସହ ଝୋଟି ପଡିଥିବା ଗଉଣୀରେ ବିହନ ଧାନକୋଠୀରୁ ବାହାର କରାଯାଇଥାଏ । ସେହି ଧାନ ବିଲକୁ ନେବାସହ ସେଠାରେ ଧୂପଦୀପ କ୍ଷୀର ଚାଉଳ ଦେଇ ବିଲକୁ ପୂଜା କରିସାରିବା ପରେ ଧାନବୁଣା ଅନୁକୂଳ କରାଯାଇଥାଏ ।ଏହାକୁ ଅକ୍ଷିମୂଠି ବାହିବା ମଧ୍ୟ କୁହାଯାଏ ।ଏହି ପରିପେକ୍ଷୀରେ କହିବାକୁଗଲେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ସ୍ଵତନ୍ତ୍ରତା ସାରାବିଶ୍ଵ ପ୍ରସିଦ୍ଧ । ଯେପରି ଆତ୍ମାକୁ ଛାଡି ଶରୀରର ପରିକଳ୍ପନା ନିରର୍ଥକ ଠିକ୍ ସେହିପରି ଶ୍ରୀଜଗନ୍ନାଥଙ୍କୁ ଛାଡି ସମସ୍ତ ଚିନ୍ତା ଓ ଚିନ୍ତନାର ଅସାର ।ସେହି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ହେଉଛି ସର୍ବଧର୍ମ ସମନ୍ଵୟ ଓ ବିଶ୍ଵ ଭାତୃତ୍ଵଭାବ ପ୍ରଦାନ ଯାତ୍ରା ।ଏହି ଯାତ୍ରା ନିମନ୍ତେ ପ୍ରସ୍ତୁତ୍ ତିନିରଥର ନିର୍ମାଣ କାର୍ଯ୍ୟ ଅନୁକୂଳ ଏହି ଅକ୍ଷୟ ତୃତୀୟାରେ ହିଁ ହୋଇଥାଏ ।ଏହିଦିନ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ରଥପାଇଁ ଆସିବା କାଠ ବୈଦିକ ରିତିରେ ପୂଜାହୋଇ ରଥ ନିର୍ମାଣ ନିମିତ୍ତ ବିଶ୍ଵକର୍ମାଙ୍କୁ ବରଣ କରାଯାଇଥାଏ ।ଏହି ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ ।ଏହି ପବିତ୍ର ଅକ୍ଷୟ ତୃତୀୟାର ଆଉଏକ ବିଶେଷତ୍ଵ ହେଲା ଏହି ଦିନଠାରୁ ଠାକୁରଙ୍କ ଚନ୍ଦନଯାତ୍ରା ମଧ୍ୟ ଆରମ୍ଭ ହୁଏ ଓ ଠାକୁରଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ପାଲିଙ୍କିରେ ବସାଇ ନରେନ୍ଦ୍ର ପୋଖରୀରେ ସୁସଜ୍ଜିତ ନୌକାରେ ଚାପ କରାଯାଇ ଚନ୍ଦନଯାତ୍ରା ଆରମ୍ଭ ହୁଏ ।ଏହି ଯାତ୍ରା ଏକୋଇଶ ଦିନ ପର୍ଯ୍ୟନ୍ତ ମହାସମାରୋହରେ ପାଳନ କରାଯାଇଥାଏ ।ଏଠାରେ କହିବାକୁ ଗଲେ କେବଳ ଶ୍ରୀକ୍ଷେତ୍ର ନୁହେଁ ଓଡ଼ିଶାର ବହୁ ମନ୍ଦିରରେ ଏହି ଚନ୍ଦନଯାତ୍ରା ମହାଆଡମ୍ବରରେ ପାଳନ କରାଯାଇଥାଏ । ଏପରିକି ଅକ୍ଷୟ ତୃତୀୟା ତିଥିରେ ଓଡିଶାରେ ବଳଦେବଜୀଉଙ୍କ ପୀଠମାନଙ୍କରେ ଶ୍ରୀବଳଦେବ ଓ ଦେବୀ ରେବତୀଙ୍କର ବିବାହ ମହୋତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥାଏ ।ଏପରିକି ଅକ୍ଷୟ ତୃତୀୟାକୁ ଲକ୍ଷ୍ମୀ ଉପାସନାର ପର୍ବ ଭାବେ ମଧ୍ୟ ଗ୍ରହଣ କରାଯାଇଥାଏ ।ଆମ ସଂସ୍କୃତିରେ ଶ୍ରୀଲକ୍ଷ୍ମୀ ହେଉଛନ୍ତି ସୌନ୍ଦର୍ଯ୍ୟ ,ବିଭବ ,ପ୍ରତିଷ୍ଠା ଓ କ୍ଷମତାର ପ୍ରତୀକ ତଥା ଭାଗ୍ୟଦେବୀ ଭାବରେ ପରିଚିତ ।ଜୀବନ ଧାରଣ ନିମିତ୍ତ ମନୁଷ୍ୟର ଯାହାକିଛି ପ୍ରୟୋଜନ ସେ ସମସ୍ତ ଅଧିକାରିଣୀ ହେଉଛନ୍ତି ଲକ୍ଷ୍ମୀ ।ତେଣୁ ଏହି ପବିତ୍ର ଅକ୍ଷୟ ତୃତୀୟା ଦିନ ମହାଲକ୍ଷ୍ମୀଙ୍କ ଷୋଡଶ ଉପଚାର ସହ ପୂଜା କରାଯାଇଥାଏ ।କେବଳ ମହାଲକ୍ଷ୍ମୀ କାହିଁକି ଏହି ପବିତ୍ର ତିଥିରେ ଅନେକ ଶକ୍ତିପୀଠ ମାନଙ୍କରେ ବିଶେଷ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ ।ଏପରିକି ବୈଷ୍ଣବ ସଂସ୍କୃତିରେ ମଧ୍ୟ ଏହି ଦିନର ମହତ୍ତ୍ଵ ସର୍ବବ୍ୟାପୀ ।ଏହିଦିନ ଓଡିଶାର ପୁରପଲ୍ଲୀରେ ହରିନାମ ସଂକୀର୍ତ୍ତନ୍ୟ ,ଭାଗବତ ପାଠ ,ହରବଂଶ ପାଠ ଆଦି ସହ ଯଜ୍ଞ ଅନୁଷ୍ଠିତ ହୋଇ ଆସୁଥିବା ମଧ୍ୟ ଦେଖାଯାଏ ।ବାସ୍ତବିକ୍ ଏହା ହେଉଛି ମାନବୀୟ ସଂପ୍ରୀତି ଓ ଆଧ୍ୟାତ୍ମିକ ଜାଗରଣର ଏକ ପ୍ରମୁଖ ପର୍ବ ।ପରିଶେଷରେ ଏତିକି କୁହାଯିବ ଯେ ଏହି ପବିତ୍ର ଅକ୍ଷୟ ତୃତୀୟା ପର୍ବ କୃଷିଭିତ୍ତିକ ଆଧ୍ୟାତ୍ମିକ ଭାବ ବି ଜଡିତ ଓ ସମନ୍ଵୟାତ୍ମକ ପର୍ବ ।ଉତ୍କଳୀୟ ସଂସ୍କୃତିର ଉତ୍ତରଣରେ ଏହି ପବିତ୍ର ଅକ୍ଷୟ ତୃତୀୟା ଜନମାନସଙ୍କ ଚେତନାକୁ ରସାଣିତ କରିବା ସହିତ ଜାତୀୟ ଚେତନାକୁ ସମୃଦ୍ଧ କରିପାରିଛି ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0